୮ ମାସର ଦରମା ନ ପାଇ ଆଇଟିଆଇ ପ୍ରଶିକ୍ଷକ ହଟହଟା:ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦର ସରକାରଙ୍କ ଦୃଷ୍ଟି ଆକର୍ଷଣ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟରେ ଶିଳ୍ପର ବାତାବରଣ ସୃଷ୍ଟି କରିବା, ଶିଳ୍ପାୟନରେ ନିଯୁକ୍ତି ଏବଂ ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ବୈଷୟିକ ତାଲିମ ଓ ଦକ୍ଷତା ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟରେ ୩୯ଟି ସରକାରୀ ଆଇଟିଆଇ ରହିଛି । ଏହି ଆଇଟିଆଇ ଗୁଡିକରେ ସାମୟିକ ଅତିଥି ପ୍ରଶିକ୍ଷକ ଭାବେ ୮୦୦ ତାଲିମପ୍ରାପ୍ତଙ୍କୁ ନିଯୁକ୍ତି ଦିଆଯାଇଛି । ଦୁର୍ଭାଗ୍ୟର ବିଷୟ ଏମାନେ ସ୍ୱଳ୍ପ ବେତନ ପାଉଥିଲେ ମଧ୍ୟ ଗତ ନଭେମ୍ବର ୨୦୧୮ରୁ ଉକ୍ତ କର୍ମଚାରୀମାନେ ଦରମା ନପାଇ ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ନିଯୁକ୍ତି କ୍ଷେତ୍ରରେ ହେରଫେର, ପ୍ରଶାସନିକ ବିପର୍ଯ୍ୟୟ ଯୋଗୁଁ ଏଭଳି ଘଟଣା ଦେଖା ଦେଇଛି । ଏ ଦିଗରେ ନୂତନ ବିଭାଗୀୟ ମନ୍ତ୍ରୀ ଏବଂ ବିଭାଗୀୟ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ କର୍ମଚାରୀମାନଙ୍କ ପ୍ରାପ୍ୟ ପ୍ରଦାନ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବାକୁ ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦର ଆବାହକ ରବି ରଥ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସ୍ଥାୟୀ କର୍ମଚାରୀମାନେ ମୋଟା ଅଙ୍କର ଦରମା ପ୍ରତି ମାସର ୧ ତାରିଖରେ ପାଉଥିବା ବେଳେ ଦୀର୍ଘ ୮ ମାସ ଧରି ଅସ୍ଥାୟୀ କର୍ମଚାରୀଙ୍କୁ ପ୍ରାପ୍ୟ ପ୍ରଦାନ ନ କରିବା ଦୁର୍ଭାଗ୍ୟଜନକ ଘଟଣା । ସୂଚନାଥାଉ କି, ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ର ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ଭାବେ ପରିଚିତ ଥିବା ବେଳେ ଏଠାରେ କାର୍ଯ୍ୟରତ ୮୦ ଜଣ ସାମୟିକ ଅତିଥି ପ୍ରଶିକ୍ଷକ ଦୀର୍ଘ ୮ ମାସ ଧରି ପ୍ରାପ୍ୟ ନ ପାଇବା ଘଟଣା କ୍ଷୋଭର ବିଷୟ ବୋଲି ଆବାହକ ରଥ କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା