୮ମ ବାଟାଲିୟନ୍‌ ପରିସରରେ ହାବିଲ୍‌ଦାର ଓ ସିପାହୀ ସଂଘର ୩ୟବାର୍ଷିକ ଉତ୍ସବ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି…

ଛତ୍ରପୁର(ସମୃଦ୍ଧ ଓଡିଶା )ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ସ୍ଥତ ଓଏସ୍‌ଏପି ୮ମ ବାଟାଲିୟନ୍‌ ପରିସରରେ ହାବିଲ୍‌ଦାର ଓ ସିପାହୀ ସଂଘର ୩ୟବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରଭାକର ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସେ ନିଜ ବକ୍ତବ୍ୟରେ କହିଥିଲେ ସିପାହୀମାନେ ଶୃଙ୍ଖଳା ଓ କାର୍ଯ୍ୟ ଦକ୍ଷତା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏବଂ ସେମାନଙ୍କ ପାଇଁ ଆମେ ଶାନ୍ତିରେ ରହିପାରୁଛୁ ଓ ତାଙ୍କ ସମୟରେ ଏହି ବାଟାଲିୟନ୍‌ ପ୍ରତିଷ୍ଠା ହୋଇଥିବା ସ୍ମରଣ କରିବା ସହ ପାନୀୟଜଳ, ଆଲୋକ ସମସ୍ୟା ଦୂରକରଣ ନେଇ ଜିଲ୍ଲାପାଳଙ୍କ ସହଯୋଗରେ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ । ମୁଖ୍ୟବକ୍ତା ରୂପେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗ ଦେଇ ତିତ୍‌ଲି ବାତ୍ୟା ସମୟରେ ଆପଣ ମାନଙ୍କ ସେବା କାର୍ଯ୍ୟ ପାଇଁ ମୁଁ ଗର୍ବିତ ଓ ସେଥିପାଇଁ ଆପଣ ମାନଙ୍କ ପ୍ରତି ମୋର ସର୍ବଦା ସମ୍ମାନ ରହିଛି କହିବା ସହ ଜାତୀୟ ରାଜପଥରୁ ବାଟାଲିୟନ୍‌ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ଆଲୋକ ବ୍ୟବସ୍ଥା କରିବେ ବୋଲି କହିଥିଲେ । ସମ୍ମାନୀତ ଅତିଥିରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇ ତିତ୍‌ଲି ସମୟରେ ଆପଣଙ୍କ କାର୍ଯ୍ୟ ଦକ୍ଷତା ସାରା ରାଜ୍ୟରେ ପ୍ରଶଂସିତ ବୋଲି କହିଥିଲେ । ଅନ୍ୟତମ ଅତିଥି ରୂପେ ଛତ୍ରପୁର ବ୍ଳକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡୀ, ରାଜ୍ୟ ହାବିଲଦାର ଓ ସିପାହୀ ସଂଘର ସଭାପତି ସନ୍ତୋଷ କୁମାର ଶତପଥି, ସମ୍ପାଦକ ପଞ୍ଚାନନ ବେହେରା ଯୋଗ ଦେଇଥିଲେ । ବାଟାଲିୟନ ଦୁର୍ଗପତି ଉଦୟ କୁମାର ରଥ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ସମୟରେ ବାଟାଲିୟନ୍‌ ପ୍ରତିଷ୍ଠା ହୋଇ ପାରିଥିବାରୁ ତାଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା । ପ୍ରାରମ୍ଭରେ ବିବରଣୀ ପାଠ ସଂଘର ସମ୍ପାଦକ ନୀଳାଦ୍ରି ନାୟକ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଉପସଭାପତି ତୋଫାନ କୁମାର ସାହୁ । ଏହି ସଂଘର ସହସମ୍ପାଦକ ସଂଗ୍ରାମ କୁମାର ସେଠୀ, କୋଷାଧ୍ୟକ୍ଷ ବସନ୍ତ କୁମାର ଜାନୀ, ସଦସ୍ୟ ଜି. ରିଣ୍ଟୁ ରେଡ୍ଡୀ, ବିକ୍ରମ କୁମାର ସେଠୀ, କେ. ଦେବରାଜ ରେଡ୍ଡୀ, ଲିଟୁ ମହାନ୍ତି, ସନ୍ତୋଷ କୁମାର ସେଠୀ ପରିଚାଳନା କରିଥିବା ବେଳେ ଶୁଭେନ୍ଦୁ କୁମାର ପଲାଇ, ଶରତଚନ୍ଦ୍ର ଜେନା, ଜଗଦୀଶ୍‌ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କଟକି ଅପେରା ସାବିତ୍ରୀ ଗଣନାଟ୍ୟ ପରିବେଷଣ ହୋଇଥିଲା ।

ରିପୋର୍ଟ:ନିମାଇଁ ଚରଣ ପଣ୍ଡା