୯ ଦଫା ଦାବିରେ ସିପିଏମ୍ ପକ୍ଷରୁ ସୁଗୋ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସୁଗୋ ପଞ୍ଚାୟତର ବିଭିନ୍ନ ସରକାରୀ କାର୍ଯ୍ୟରେ ବିଫଳତା ଓ ଅନିୟମିତତା ବିରୋଧରେ ସିପିଏମ୍ ସୁଗୋ ଶାଖା ପକ୍ଷରୁ ଆଜି ପଞ୍ଚାୟତ କାର୍ଯ୍ୟାଳୟ ଘେରାଓ କରାଯାଇଛି । ପଞ୍ଚାୟତର ପ୍ରାୟ ୮୦ଭାଗ ଲୋକଙ୍କର ସ୍ୱଚ୍ଛ ଭାରତ ଅଭିଯାନରେ ପାଇଖଶନା ଗୃହ ନିର୍ମାଣ କରାଯାଇନଥିବାରୁ ସେମାନେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ବୁଲବୁଲ ବାତ୍ୟାରେ କ୍ଷତିଗ୍ରସ୍ତ ଭାଗଚାଷୀଙ୍କୁ ଚିହ୍ନଟ କରି କ୍ଷତିପୂରଣ ଦେବା, କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରୁ ବଞ୍ଚିତ ଚାଷୀମାନଙ୍କୁ ଋଣ ଦେବା, ଦରଦାମ୍ ବୃଦ୍ଧି, ଲେବର କାର୍ଡରେ ଗୃହ ନିର୍ମାଣ ପାଇଁ ମଞ୍ଜୁର କରିବା, ପ୍ରଧାନମନ୍ତ୍ରୀ ସଡକ ଯୋଜନରେ ଅଧିକ ଟଙ୍କା ମଞ୍ଜୁର କରିବା, ଧାନର ଏମ୍ଏସ୍ପି ୩୬୨୦ ଟଙ୍କାକୁ ବୃଦ୍ଧି କରି ପଞ୍ଚାୟତରେ ସରକାରୀଭାବେ ଧାନକ୍ରୟ କରିବ, କୃଷିଋଣ ଛାଡ କରିବା, ପାନୀୟଜଳ ଓ ଘରଡିହ ପଟ୍ଟା ପ୍ରଦାନ କରିବା ତଥା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ରେସନ୍ କାର୍ଡ ପ୍ରଦାନ କରିବା ପ୍ରଭୃତି ୯ ଦଫା ଦାବି ନେଇ ଆନ୍ଦୋଳନକାରୀମାନେ ଅଡି ବସିଥିଲେ । ସୁଗୋ ହାଟଛକଠାରୁ ଆନ୍ଦୋଳନକାରୀମାନେ ଏକ ର‌୍ୟାଲି କରି ପଞ୍ଚାୟତ କାର୍ଯ୍ୟାଳୟ ଅଭିମୁଖେ ଯିବା ପରେ ସେଠାରେ ଆୟୋଜିତ ସଭାରେ ଶ୍ରମୀକ ନେତା ପଲ୍ଟୁ ଦାସ ପୌରହିତ୍ୟ କରିଥିଲେ । ଦିଲ୍ଲିପ ଗିର. ଦୀପ୍ତିମାନ ଆଚାର୍ଯ୍ୟ, ଦିଲ୍ଲିପ ପରିଡା, ଶାଖା ସଂପାଦକ ମଦନ ମାହାଲି, ଗଣେଶ ଜେନା, ପରମେଶ୍ୱର ପଲାଇ, ଗୌରକାନ୍ତ ମହାନ୍ତି, ମଙ୍ଗଲ କିସ୍କୁ, ସବିତା ଭୂୟାଁ, ମମତା ରାଜ, ଝରଣା ଘଡାଇ, ବିଦ୍ୟାଧର ପାତ୍ର, ତରଣୀ ଜେନା, ପରମେଶ୍ୱର ଚନ୍ଦ, ଉମେଶ ପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଜଳେଶ୍ୱର ବିଡିଓଙ୍କ ପ୍ରତିନିଧି ବ୍ଲକ ଏକାଉଣ୍ଟସ୍ ଅଫିସର ନରହରି ବାରିକ ସେଠାରେ ପହଞ୍ଚି ଦାବିପତ୍ର ଗ୍ରହଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା