
ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଗୋଠଗାଁ ଗ୍ରାମ ପଞ୍ଚାୟତ ରେ ସରପଞ୍ଚ କୃଷ୍ଣ ଚନ୍ଦ୍ର ସୁଆଁସିଆଙ୍କୁ ସଂଖ୍ୟାଧିକ ୱାର୍ଡ ସଭ୍ୟ ଏକତ୍ରିତ ହୋଇ ପଞ୍ଚାୟତ କାର୍ଯ୍ୟାଳୟରେ ଚାବି ପକାଇ ଅଟକ ରଖିଥିଲେ l ଏହି ଖବର ପାଇ ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ବ୍ଲକ ସହକାରୀ ଯନ୍ତ୍ରୀ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଆପୋଷ ବୁଝାମଣା ନିମନ୍ତେ ବୈଠକ କରିଥିଲେ l ବୈଠକରେ ୱାର୍ଡ ସଭ୍ୟ ସଭ୍ୟାଙ୍କ ବୟାନ ଅନୁସାରେ ପ୍ରତି ମାସରେ ପଞ୍ଚାୟତ ବୈଠକ ଠିକ ସମୟରେ ହେଉନି କି ସେମାନଙ୍କୁ ନୋଟିସ ଦିଆଯାଉନାହିଁ l ସରପଞ୍ଚ ନିଜେ ମନମୁଖୀ ଶାସନ ଚଲାଇଛନ୍ତି l ପଞ୍ଚାୟତର ଆୟ ବ୍ୟୟ, ଉନ୍ନୟନ କାର୍ଯ୍ୟ ନିମନ୍ତେ ଆସୁଥିବା ସରକାରୀ ଅନୁଦାନର ବିନିଯୋଗ, ପ୍ରତ୍ୟେକ ୱାର୍ଡ ନିମନ୍ତେ ଦିଆଯାଉଥିବା ପ୍ରକଳ୍ପ ଇତ୍ୟାଦି ର କୌଣସି ସୂଚନା ୱାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ଦିଆଯାଉନାହିଁ l ଯାହା ଦ୍ୱାରା ୱାର୍ଡରେ ସେମାନେ ସିଧାସଳଖ ଲୋକମାନଙ୍କ ଆକ୍ରୋଶର ଶିକାର ହୋଇଥାନ୍ତି l ଆମ ଓଡିଶା ନବୀନ ଓଡିଶା ରୁ ଆସିଥିବା ଅନୁଦାନର ବିନିଯୋଗ ନିମନ୍ତେ ପ୍ରକଳ୍ପ ବଣ୍ଟା ସାରିଲାଣି, କିନ୍ତୁ ୱାର୍ଡ ସଭ୍ୟ ମନେ ଜାଣିନଥିବା ଅଭିଯୋଗ ହୋଇଛି l ଏହି ସମସ୍ତ ସମସ୍ୟାକୁ ଗଞ୍ଜାମ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡ଼ିଓ ଓ ଜିଲ୍ଲା ପରିଷଦଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା କଥା ସଭ୍ୟମାନେ ଉପସ୍ଥାପନା କରିଥିଲେ l ପରସ୍ପର ଆପୋଷ ଆଲୋଚନା କରି ନିଷ୍ପତ୍ତି ନେଲେ କି ପ୍ରତି ମାସର ତୃତୀୟ ସପ୍ତାହରେ ପଞ୍ଚାୟତ ବୈଠକ ଅନୁଷ୍ଠିତ କରିବା ଏବଂ ସମସ୍ତ ପ୍ରକାର ତଥ୍ୟର ସୂଚନା ୱାର୍ଡ ସଭ୍ୟ ମାନଙ୍କୁ ଅବଗତି କରିବା ନିମନ୍ତେ ସରପଞ୍ଚ ଙ୍କୁ ସମସ୍ତ ଅଧିକାରୀ ତାଗିତ କରିଥିଲେ l ଆଗାମୀ ଦିନରେ ଏହିଭଳି ଭୁଲର ପୁନରାବୃତ୍ତି ହେଲେ ଆମେ ୱାର୍ଡ ସଭ୍ୟରୁ ସମସ୍ତେ ଇସ୍ତଫା ଦେବୁ ବୋଲି ସଭ୍ୟ ମନେ ସୂଚନା ଦେଇଛନ୍ତି l
ରିପୋର୍ଟ : ରଜତ ପଟ୍ଟନାୟକ