ତିତଲି ବାତ୍ୟା ଓ ବନ୍ୟା ବିପନ୍ନଙ୍କୁ ରିଲିଫ ସହାୟତା ପ୍ରଦାନରେ ଜିଲ୍ଲାପ୍ରଶାସନ ବିଫଳ: ବିଜେପିର ଜିଲ୍ଲାପାଳ ହଟାଅ ଆନ୍ଦୋଳନ

ରାୟଗଡା(ତୁଷାର ରଞ୍ଜନ ସାହୁ):ରାୟଗଡା ଜିଲା ଭାରତୀୟ ଜନତା ପାର୍ଟି(ଭାଜପା) ଜିଲାପାଳ ହଟାଅ ଆନ୍ଦୋଳନ ଆରମ୍ଭ କରିଛି । ତିତଲି ପରିଚାଳନା ନେଇ ଜିଲା ପ୍ରଶାସନ ବିଫଳ ହୋଇଥିବା ଦଳ ଅଭିଯୋଗ କରି ଏହି ଦାବି କରିଛି । ସାମୁଦ୍ରିକ ଝଡ ତିତଲି ପରେ ଜିଲାବାସୀଙ୍କୁ ସହାୟତା ପ୍ରଦାନରେ ଜିଲା ପ୍ରଶାସନ ବିଫଳ ହୋଇଥିବ ଦଳ କହିଛି । ଗତ ୩ ଦିନ ଧରି ଲୋକେ ପିଇବା ପାଣି ପାଇଁ ସଙ୍ଘର୍ଷ କରୁଥିବା ବେଳେ ଏହାର ମୁକବଲା ତଥା ପରିଚାଳନା କ୍ଷେତ୍ରରେ ଜିଲାପାଳ ଗୁହା ପୁନମ ତାପସ କୁମାର ସମ୍ପୂର୍ଣ୍ଣ ଅପାରଗ ସାବ୍ୟସ୍ତ ହୋଇଥିବା ଦଳ କହିଛି । ଲୋକଙ୍କ ସୁଖ ଦୁଃଖରେ ଆସୁ ନଥିବା ଜିଲାପାଳ ଏହି ଜିଲା ପାଇଁ ଆବଶ୍ୟକ ନାହିଁ । ତେଣୁ ଆଜିଠାରୁ ଜିଲାପାଳ ହଟାଅ ଓ ଜିଲା ବଞ୍ଚାଅ ନାରା ଦେଇ ଦଳ ଆନ୍ଦୋଳନ ଆରମ୍ଭ କରିଛି । ଶନିବାର ଏକ ସମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ଆଦିବାସୀ ମହାସଙ୍ଘ ଉପ ସଭାପତି ବସନ୍ତ ଉଲାକା ମତବ୍ୟକ୍ତ କରିଛନ୍ତି । ରାୟଗଡା ସଦର ମହକୁମାର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଭାଜପା ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା  । ତିତଲି ନାମରେ ଏକ ଭୟଙ୍କର ବାତ୍ୟା ଆସୁଛି ବୋଲି ପୂର୍ବରୁ ସତର୍କ କରା ଯାଇଥିଲା  । ଏହାକୁ ନେଇ ରାଜ୍ୟରୁ ବହୁ ସୂଚନା ପ୍ରଦାନ କରଯାଇଥିଲା  । ତେବେ ରାୟଗଡା ଜିଲା ପ୍ରଶାସନ ପକ୍ଷରୁ କୌଣସି ପୂର୍ବ ପ୍ରସ୍ତୁତି କରାଯାଇ ନଥିଲା ବୋଲି ଦଳ କହିବା ସହ ଏହା ବିଡମ୍ବନାର ବିଷୟ ବୋଲି କହିଛି । ପରିଣାମ ସ୍ୱରୁପ ସଦର ମହକୁମାଠାରୁ ଜିଲାର ଆଭ୍ୟନ୍ତରରେ ଥିବା ଗାଁ ପର୍ଯ୍ୟନ୍ତ ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଇଛି । ଏଥିପାଇଁ ଭାଜପା ସିଧା ସଳଖ ଜିଲାପାଳଙ୍କୁ ଦାୟୀ କରିଛି । ତିତଲି ପ୍ରଭାବ ଜିଲା ଚିକିତ୍ସାଳୟରେ ମଧ୍ୟ ପଡିଛି । ଚିକିତ୍ସାଳୟରେ ଥିବା ରୋଗୀମାନେ ଏହି ୨ଦିନ ମଧ୍ୟରେ ପାଣି ଟୋପାଏ ମଧ୍ୟ ପାଇ ପାରି ନାହାନ୍ତି । ଖାଦ୍ୟ ପାଇଁ ଡହଳ ବିକଳ ହୋଇ ପଡିଥିବା ବେଳେ ସରକାରଙ୍କ ଆହାର କେନ୍ଦ୍ର ମଧ୍ୟ ବନ୍ଦ ରହିଥିଲା  । କାହା ଅନୁମତିରେ ଏହାକୁ ବନ୍ଦ କରାଯାଇଥିଲା ବୋଲି ଶ୍ରୀ ଉଲ୍ଲାକା ପ୍ରଶ୍ନ କରିଛନ୍ତି । ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇବା ପରିବର୍ତ୍ତେ ତିତଲି ଭଳି ବିପର୍ଯ୍ୟୟ ପରଦିନ ଆମ୍ବୁଲାନ୍ସ ଉଦଘାଟନ କରି ଫଟୋ ପ୍ରକାଶ କରିବା ଜିଲା ପାଇଁ ଦୁର୍ଭାଗ୍ୟର କଥା ବୋଲି ସେ ଅଭିଯୋଗ ଆଣିଛନ୍ତି । ଜନସେବା କରିବାକୁ ଆସିଥିବା ଜିଳାପାଳଙ୍କୁ ଶାସକ ଦଳର ଜଣେ କର୍ମୀ ବୋଲି ସେ ସଙ୍ଗୀନ ଅଭିଯୋଗ ମଧ୍ୟ କରିଛନ୍ତି । ଏଠାରେ ପବନ ବର୍ଷା ଯୋଗୁଁ ଶହ ଶହ ଏକ ଜମିରେ ଧାନ ଗଛ ମାଟିରେ ପଡି ରହିଛି । ଅନେକ କପା କ୍ଷେତ ଉଜୁଡି ଯାଇଛି । ଅଧିକାରୀମାନେ କ୍ଷେତ୍ରକୁ ନଯାଇ ଜିଲାରେ ବସି ରହିଥିବା ଦଳ ଅଭିଯୋଗ କରିଛି । ବାତ୍ୟା ପୂର୍ବ ରାତିରେ ଜିଲାପାଳ ଏକ ତାରକା ହୋଟେଲରେ ସହର ଉନ୍ନୟନ ନାମରେ ଏକ ବୈଠକରେ ସମସ୍ତେ ଯୋଗଦେବା ଘଟଣାକୁ ସେ ନିନ୍ଦା କରିଛନ୍ତି । ଅତିଶୀଘ୍ର ଜିଲାପାଳ ହଟାଅ ଜିଲା ବଞ୍ଚାଅ ନାରା ଦେଇ ସମଗ୍ର ଜିଲାର ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ କରାଯିବ ବୋଲି ଦଳ ଘୋଷଣା କରିଛି । ଏହି ବ୍ୟବସ୍ଥାରୁ ବିରତ ରହିବାକୁ ସେ ସମ୍ମିଳନୀରେ ଘୋଷଣା କରିଛନ୍ତି  । କାର୍ଯ୍ୟକ୍ରମରେ ଆଦିବାସୀ ନେତା ପ୍ରତାପ ପୁଆଲା, ବାସା ମାଣ୍ଡାଙ୍ଗି, ଗଙ୍ଗରାଜ ବିଡିକା, ପରଶୁ ମାଣ୍ଡାଙ୍ଗି, ରାଜେନ୍ଦ୍ର ବିଡିକା, ବିଜେପି ଯୁବମୋର୍ଚ୍ଚା ଜିଲା ସଭାପତି ନୀଳାଦ୍ରିବିହାରୀ ପାତ୍ର, ଯୁବନେତା ଶେଖ ସୁବାନୀ ପ୍ରମୁଖ ଉପସ୍ଥିତ ଥିଲେ ।